February 5, 2025

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

1 min read

କଟକ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ମଙ୍ଗଳବାର କଟକର ସ୍ଥାନୀୟ ବେଲ୍ ଭ୍ୟୁ ଛକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି। ଓଡ଼ିଶାରେ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଇଁ ତାଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଛି।

ଉନ୍ମୋଚିତ ହୋଇଥିବା ପ୍ରତିମୂର୍ତ୍ତିଟି ୧୦ ଫୁଟ୍ ଉଚ୍ଚତା ବିଶିଷ୍ଟ। ଏହା ବିଶିଷ୍ଟ ଶିଳ୍ପୀ ସଞ୍ଜୀବ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ନିର୍ମିତ ହୋଇଛି। ମାତ୍ର ୩୫ ଦିନ ମଧ୍ୟରେ ୧୮ ଜଣ କାରିଗର ଏହାକୁ ନିର୍ମାଣ କରିଛନ୍ତି।

“ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ବିଶେଷ ଅବଦାନ ରହିଛି। ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା। କଟକ ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ତାଙ୍କର ଏହି ପ୍ରତିମୂର୍ତ୍ତି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ପ୍ରତିମୂର୍ତ୍ତିର ଉନ୍ମୋଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।