ଦିଲ୍ଲୀର ୬ଟି ସ୍କୁଲକୁ ବୋମା ଧମକ
1 min readନୂଆଦିଲ୍ଲୀ: ବିମାନକୁ ବୋମା ଧମକ ଘଟଣା ଥମି ନଥିବାବେଳେ ଏବେ ଟାର୍ଗେଟରେ ସ୍କୁଲ। ରାଜଧାନୀ ଦିଲ୍ଲୀର ୬ଟି ସ୍କୁଲକୁ ପୁଣି ଆସିଛି ବୋମା ବିସ୍ଫୋରଣ ଧମକ।
ଦିଲ୍ଲୀର ସଲବାନ ସ୍କୁଲ, ଡିପିଏସ ସ୍କୁଲ, ମଦର ମେରୀସ୍ ସ୍କୁଲ ଓ ମର୍ଡନ ସ୍କୁଲ ସମେତ ୬ଟି ଘରୋଇ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ ଯୋଗେ ଚେତବାନୀ ଦିଆଯାଇଛି। ଗୁରୁବାର ବିମ୍ବଳିତ ରାତିରେ ଏହି ଧମକପୂର୍ଣ୍ଣ ମେଲ ଆସିଛି।
ଫଳରେ ସମ୍ପୃକ୍ତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଶୁକ୍ରବାର ଦିନ ଛୁଟି ଥିବା ନେଇ ମେସେଜ ଦିଆଯାଇଛି।
ଇ-ମେଲରେ ଲେଖାଯାଇଛି, ‘ଏହି ଇ-ମେଲରେ ଆପଣଙ୍କୁ ସତର୍କ କରାଯାଉଛି ଯେ, ଆପଣଙ୍କ ସ୍କୁଲ ପରିସରରେ ଅନେକ ବିସ୍ଫୋରକ ସାମଗ୍ରୀ ରହିଛି। ମୋର ବିଶ୍ୱାସ, ପିଲାମାନେ ସ୍କୁଲରେ ପ୍ରବେଶ କଲା ପରେ ଆପଣ ସେମାନଙ୍କ ବ୍ୟାଗ ଯାଞ୍ଚ କରୁନାହାନ୍ତି। ସ୍କୁଲ ପରିସରରେ ଥିବା ବିସ୍ଫୋରକ ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏବଂ କୋଠାକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ହେବ।’
ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି, ଭଟନାଗର ଇଣ୍ଟରନାସନାଲ ସ୍କୁଲରୁ ଶୁକ୍ରବାର ସକାଳ ୪ଟା ୨୧ରେ ପ୍ରଥମେ ବୋମା ଧମକ ଦିଆଯାଇଥିବା ନେଇ କଲ ଆସିଥିଲା। ଏହାପରେ କେମ୍ବ୍ରିଜ ସ୍କୁଲରୁ ସକାଳ ୬ଟା ୨୩ରେ ଓ ଡିପିଏସରୁ ୬ଟା ୩୫ରେ କଲ ଆସିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୋଲିସ, ବୋମୋ ନିଷ୍କ୍ରିୟକାରୀ ଦଳ ଏବଂ ଡଗ ସ୍କ୍ୱାଡ ସମ୍ପୃକ୍ତ ସ୍କୁଲରେ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରିଥିଲେ। ଶୁକ୍ରବାର ଅପରାହ୍ଣ ସୁଦ୍ଧା କୌଣସି ସନ୍ଦିଗ୍ଧ ଜିନିଷ ପୋଲିସକୁ ମିଳିନାହିଁ। ବୋମା ଧମକ ମିଳିବା ପରେ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ଅନଲାଇନ ମୋଡରେ କ୍ଲାସ ଆରମ୍ଭ ହୋଇଛି।
କେମ୍ବ୍ରିଜ ସ୍କୁଲ ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଗୁରୁବାର ରାତି ୧ଟା ୫୦ରେ ସେମାନଙ୍କ ପାଖକୁ ମେଲ ଆସିଥିଲା। ଶୁକ୍ରବାର ସକାଳ ୫ଟା ୫୦ରେ ମେଲ ଦେଖିବା ପରେ ଅଗ୍ନିଶମ ବିଭାଗ ପୋଲିସକୁ ଖବର ଦିଆଯାଇଥିଲା। ପରେ ଏ ନେଇ ଅଭିଭାବକଙ୍କୁ ଅବଗତ କରାଯାଇଥିଲା।
ଡିସେମ୍ବର ୯ ତାରିଖରେ ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲକୁ ଏମିତି ବୋମା ଧମକ ମିଳିଥିଲା। ଡିସେମ୍ବର ୮ ତାରିଖ ରାତି ପ୍ରାୟ ୧୧ଟା ୩୮ ମିନିଟରେ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଦିଲ୍ଲୀର ବ୍ରିଟିଶ ସ୍କୁଲ, ସଲବାନ ସ୍କୁଲ, ମର୍ଡନ ସ୍କୁଲ, କେମ୍ବ୍ରିଜ ସ୍କୁଲ, ଡିଏଭି ସ୍କୁଲ, ଡିପିଏସ ଏବଂ ଜିଡି ଗୋଏଙ୍କା ସ୍କୁଲ ସମେତ ଅନ୍ୟ ସ୍କୁଲମାନଙ୍କୁ ଏପରି ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ତେବେ ବୋମା ବିସ୍ଫୋରଣ ରୋକିବ ଲାଗି ୩୦ ହଜାର ଟଙ୍କା ଦାବି କରିଥିଲେ ଇ-ମେଲ ପ୍ରେରକ।