December 11, 2024

ଜେଲ ଦଣ୍ଡାଦେଶ ଭୟ ଦେଖାଇ ଡାକ୍ତରଙ୍କଠୁ ଲୁଟି ନେଲେ ସାଢେ ୫ ଲକ୍ଷ ଟଙ୍କା

1 min read

ହିଞ୍ଜିଳିକାଟୁ: ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରି ରହିଛି। ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଦିନକୁ ଦିନ ସାଇବର ଠକମାନେ ନୂତନ ଜ୍ଞାନକୌଶଳ ଗ୍ରହଣ କରି ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଲୁଟି ନେଉଥିବା ନିତିଦିନିଆ ଘଟଣା ପାଲଟିଛି। ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ଭିଡିଓ ପ୍ରସାରିତ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇ ଜୈନିକ ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ସାଇବର ଠକ ସାଢେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ଘଟିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ମହାରାଷ୍ଟ୍ର ମୁମ୍ବାଇ ଅଞ୍ଚଳର ଜୈନିକ ସାଇବର ଠକ ସୋମବାର ରାତିରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ନରେନ୍ଦ୍ର କୁମାର ମହାନ୍ତିଙ୍କ ମୋବାଇଲ ଫୋନକୁ ଏକ ଅଜଣା ହ୍ବାଟସଅପ ଅଡିଓ କଲ ଆସିଥିଲା। ଡାକ୍ତର ମହାନ୍ତି କଲ ରିସିଭ କରିବା ପରେ ସାଇବର ଠକ ଜଣଙ୍କ ନିଜକୁ ଜଣେ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ବୋଲି ପରିଚୟ ଦେଇଥିଲେ। ମୁମ୍ବାଇ ଏୟାର୍‌ ଲାଇନ ମନି ଲେଡିଙ୍ଗଠାରେ ଜମିଜମା ସମ୍ବନ୍ଧୀୟ ଠକେଇରେ ସଂପୃକ୍ତି ଥିବା ନେଇ ସାଇବର ଠକ ଜଣଙ୍କ ଅବସରପ୍ରାପ୍ତ ଡାକ୍ତରଙ୍କୁ କହିଥିଲେ। ପରେ ଭିଡିଓ କଲ ରିସିଭ କରିବାକୁ କହି ଭିଡିଓ କଲ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ରହିଥିବା ଭଳି ଏକ ଭିଡିଓ ପ୍ରଦର୍ଶିତ କରିଥିଲେ। ଦଣ୍ଡ ସ୍ବରୁପ ଡାକ୍ତରଙ୍କୁ ସାଢେ ୬ ଲକ୍ଷ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଅର୍ଥ ରାଶି ଜମା ନ କଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇଥିଲେ।
ଅବସରପ୍ରାପ୍ତ ଡାକ୍ତର ଜଣଙ୍କ ଉଚ୍ଚତମ ନ୍ୟାୟାଳୟକୁ ଦେଖି ଭୟଭୀତ ହୋଇପଡିଲେ। ସାଇବର ଠକ ଜଣଙ୍କ ପଠାଇଥିବା ଏକାଉଣ୍ଟ ନମ୍ବରରେ ମଙ୍ଗଳବାର ସକାଳେ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କରେ ସାଢେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସାଇବର ଠକ ଜଣଙ୍କ ପୁର୍ନବାର ଅଧିକ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍‌ ପରିବାର ବର୍ଗଙ୍କୁ ଜେଲ ଦଣ୍ଡାଦେଶର ଭୟ ଦେଖାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଙ୍କ ପୁଅ ଗାଁକୁ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୧୦୦୫/୨୪ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ହିଞ୍ଜିଳି ପୋଲିସ ସାଇବର ଥାନା ସହିତ ଯୋଗାଯୋଗ କରି ଘଟଣାର ଖୋଳତାଡ ଆରମ୍ଭ କରିଛି।