ଦାରିଙ୍ଗବାଡ଼ି ହିଲଭିୟୁ ପାର୍କର ଅର୍ଦ୍ଧ ନିର୍ମିତ ଓ୍ବାଚ୍ ଟାଓ୍ବାର: ନିରାଶ ପର୍ଯ୍ୟଟକ
1 min readଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଡିସେମ୍ବର ୨୦ଠାରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ହେଲେ କିଛି କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ହିଲଭିୟୁ ପାର୍କର ଅର୍ଦ୍ଧ ନିର୍ମିତ ଓ୍ବାଚ୍ ଟାଓ୍ବାର କ୍ଷେତ୍ରରେ। ଉକ୍ତ ଟାଓ୍ବାର ହେଲେ ପର୍ଯ୍ୟଟକମାନେ ସେଠାରୁ ଇକୋ ରିଟ୍ରିଟ୍ର ଦୃଶ୍ୟ ସମେତ ପାଇନ ଜଙ୍ଗଲ, ପାହାଡ଼ର ସୌନ୍ଦର୍ଯ୍ୟ ଦେଖିବାକୁ ପାରିପାରିବେ। ଏହା ପୁରୁଣା ଓ୍ବାଚ୍ ଟାଓ୍ବାରଠାରୁ ଦୁଇ ଗୁଣ ବଡ଼ ଆକାରର ଓ ଉଚ୍ଚତା ରହିବ। ଯାହାକି ଅଧିକ ଦୂର ଭିୟୁ ଦେଖିବାକୁ ପର୍ଯ୍ୟଟକଙ୍କୁ ମିଳିବ। ତେବେ ଏହା ନିର୍ମାଣରେ ବିଳମ୍ବର ମୁଖ୍ୟ କାରଣ। ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ଉକ୍ତ ଟାଓ୍ବାରଟିକୁ ସମ୍ପୂର୍ଣ୍ଣ କରିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ୨୦୦୦ ମସିହାରେ ହିଲ୍ଭିୟୁ ପାର୍କ ନିର୍ମାଣ କରାଯିବା ସହ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ଭିୟୁ ଦେଖିବା ପାଇଁ ଏକ ଓ୍ବାଚ୍ ଟାଓ୍ବାର ନିର୍ମାଣ କରାଯାଇଥିଲା। ପରେ ୨୦୧୫ରେ ପୂର୍ବତନ ଜିଲାପାଳ ଏନ. ତିରୁମାଲା ନାଏକ ଏବଂ ପୂର୍ବତନ ବାଲିଗୁଡ଼ା ଉପଜିଲାପାଳ ଅନୁପମ ସାହାଙ୍କ ତତ୍ତ୍ୱାବଧାନରେ ହିଲ୍ଭିୟୁ ପାର୍କର ରୂପାନ୍ତର କରାଯିବା ସହ ଏହାକୁ ପରିଚାଳନା କରିବାକୁ ଏକ ଟ୍ରଷ୍ଟ୍ ରେଜିଷ୍ଟ୍ରେଶନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ଟ୍ରଷ୍ଟ ଜରିଆରେ ପାର୍କର ତଦାରଖ କରାଯାଉଛି ହେଲେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କମ୍ ଉଚ୍ଚତା ବିଶିଷ୍ଟ ଓ୍ବାଚ୍ ଟାଓ୍ବାରକୁ ପର୍ଯ୍ୟଟକମାନେ ଦୀର୍ଘ ୨୪ ବର୍ଷ ହେଲା ଦେଖି ଆସୁଛନ୍ତି। ତେବେ ପର୍ଯ୍ୟଟକମାନେ ବର୍ତ୍ତମାନ ଏହାର ପରିବର୍ତ୍ତନ ଚାହୁଁଛନ୍ତି କିନ୍ତୁ ବିଳମ୍ବ ଯୋଗୁ ନିରାଶ ହେଉଥିବା ଜଣାପଡ଼ିଛି।
ନୂଆ ଟାଓ୍ବାର ପାଇଁ ଇତିମଧ୍ୟରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଆହୁରି ଅନୁଦାନର ଆବଶ୍ୟକ ପଡୁଛି। ଯାହାକି ଅନୁଦାନ ଅଭାବରୁ ଅର୍ଦ୍ଧନିର୍ମିତ ହୋଇ ଉକ୍ତ ଓ୍ବାଚ୍ ଟାଓ୍ବାରଟି ରହିଛି। ପୁରୁଣା ଓ୍ବାଚ୍ ଟାଓ୍ବାରଟି ୧୦ ଫୁଟ ଉଚ୍ଚତା ରହିଥିବାବେଳେ ନୂତନ ଓ୍ବାଚ୍ ଟାଓ୍ବାରଟି ପ୍ରାୟ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର କହିଛନ୍ତି। ସେ କହିଛନ୍ତି, ଆହୁରି ୮ ଲକ୍ଷ ଟଙ୍କା ଅନୁଦାନ ପାଇଁ ଚିଠି କରାଯାଇଛି ଏଥିସହ ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ର ପାଇଁ ୪ କୋଟି ୫୪ ଲକ୍ଷ ର ଅଟକଳ କରାଯାଇଥିବା ବେଳେ ଅନୁଦାନ ଅପେକ୍ଷାରେ ସ୍ଥାନୀୟ ପ୍ରଶାସନ ରହିଥିବା ଜଣାପଡ଼ିଛି। ଅନୁଦାନ ଆସିଲେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଆଉ କିଛିଦିନ ପରେ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ହେବାକୁ ଜିଲା ଓ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ହେଉଛି ଏହି ମହୋତ୍ସବ ହେବା ପୂର୍ବରୁ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେବା ନିହାତି ଜରୁରୀ। ସେହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଦାରିଙ୍ଗିବାଡ଼ିକୁ ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି।