ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ବଢ଼ିବ ଆଇସିୟୁ ବେଡ ସଂଖ୍ୟା
1 min readଭୁବନେଶ୍ଵର: କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ବଢ଼ିବ ଆଇସିୟୁ ବେଡ ସଂଖ୍ୟା। ହସ୍ପିଟାଲରେ ଆଉ ୨୪ଟି ନୂଆ ଆଇସିୟୁ ବେଡ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।
କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ୧୬ଟି ଆଇସିୟୁ ବେଡ ରହିଛି। ଆଉ ୨୪ଟି ଆଇସିୟୁ ବେଡ ସାମିଲ ହେଲେ ଏହି ସଂଖ୍ୟା ୪୦କୁ ବୃଦ୍ଧି ପାଇବ। ମଙ୍ଗଳବାର ଦିନ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ଗଭର୍ଣ୍ଣିଂ କମିଟି ବୈଠକରେ ଆଇସିୟୁ ସଂଖ୍ୟା ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି।
କ୍ୟାପିଟାଲ ହସ୍ପିଟାଲରେ ଦୈନିକ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଇସିୟୁ ବେଡର ଅଭାବ ଦେଖାଦେଉଛି। ତେଣୁ ରୋଗୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହି ଆଇସିୟୁ ବେଡ ସଂଖ୍ୟା ବଢ଼ାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହ ହସ୍ପିଟାଲ ପରିସରରେ ବନ୍ଦ ରହିଥିବା ମିଶନ ଶକ୍ତି ପାଫେକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଏସଏଚଜି ମହିଳାଙ୍କୁ ଦାୟିତ୍ଵ ଦିଆଯାଇଛି।
ଏହି ବୈଠକରେ ଭୁବନେଶ୍ଵର ସାଂସଦଙ୍କ ସମେତ ଭୁବନେଶ୍ଵର ମଧ୍ୟ ଏବଂ ଏକାମ୍ର ବିଧାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଓ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।