ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ
1 min readବ୍ରାଜିଲ: ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ। ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା। ଏ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ, ଗାଜା ଏବଂ ଲେବାନନରେ ଚାଲିଥିବା ଯୁଦ୍ଧ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଛି ପ୍ରସଙ୍ଗରେ ମତଭେଦ ପ୍ରକାଶ ପାଇଥିଲା ବେଳେ କେତେକ ପ୍ରସଙ୍ଗରେ ସହମତି ବି ମିଳିଥିଲା।
ଜି-୨୦ ସମ୍ମିଳନୀରେ ପ୍ରମୁଖ ପ୍ରସଙ୍ଗ ଥିଲା ୟୁକ୍ରେନ ଯୁଦ୍ଧ। ଦିନକ ପୂର୍ବରୁ ଦୀର୍ଘ ଦୂରତାରୁ ମିସାଇଲ ଦ୍ୱାରା ରୁଷ ଉପରେ ଆକ୍ରମଣ କରିବା ପାଇଁ ଆମେରିକା କିଭକୁ ସବୁଜ ପତାକା ଦେଖାଇ ଦେଇଛି। ଏପଟେ ରୁଷ କହିଛି, ଏପରି ଆକ୍ରମଣ କଲେ ସେ ବି ପାଲଟା ଜବାବ ଦେବ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରାଜିଲ ସହ ମିଶି ରୁଷ ସହ ଶାନ୍ତି ବାର୍ତ୍ତା ଉପରେ ଜୋର ଦେବାକୁ କିଭକୁ ପରାମର୍ଶ ଦେଇଛନ୍ତି।
ବିଶ୍ୱ ନେତାମାନେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତିକୁ ସମର୍ଥନ କରୁଥିବା ସମସ୍ତ ପ୍ରାସଙ୍ଗିକ ଏବଂ ରଚନାତ୍ମକ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ସେହିପରି କ୍ଷେତ୍ରୀୟ ଅଧିଗ୍ରହଣ ପାଇଁ ବଳପ୍ରୟୋଗ ଧମକକୁ ମଧ୍ୟ ସମ୍ମିଳନୀରେ ନିନ୍ଦା କରାଯାଇଥିଲା। ତେବେ ରୁଷର ଆକ୍ରମଣକୁ ନେଇ କୌଣସି ଆଲୋଚନା ହୋଇନଥିଲା।