ଆଜି ବିଶ୍ୱ ଶୌଚାଳୟ ଦିବସ, ସ୍ଵଛ ଭାରତ ମିଶନ ଉପରେ ଗୁରୂତ୍ଵ ପ୍ରଦାନ
1 min readଭୁବନେଶ୍ବର: ମଙ୍ଗଳବାର ବିଶ୍ୱ ଶୌଚାଳୟ ଦିବସ ଅବସରରେ ରାଜ୍ୟ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ମୋ ଶୌଚାଳୟ, ମୋ ସମ୍ମାନ’। ଏହି ବାର୍ତ୍ତାକୁ ନେଇ ଆଜିଠାରୁ (ନଭେମ୍ବର ୧୯) ବିଶ୍ୱ ଶୌଚାଳୟ ଦିବସ ୨୦୨୪ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ରାଜ୍ୟର ପୁରପଲ୍ଲୀରେ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ହିତାଧିକାରୀମାନଙ୍କୁ ଅନୁମତି ପତ୍ର ବଣ୍ଟନ, ଶୌଚାଳୟର କାର୍ଯ୍ୟକାରୀତା ଓ ମରାମତି, ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଶୌଚାଳୟର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣର ଲକ୍ଷ୍ୟ ସାଧନ ନିମନ୍ତେ ଜନସହଭାଗୀତା ବୃଦ୍ଧି ପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ, ବିଭିନ୍ନ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ପରିମଳ କର୍ମଚାରୀ ଓ ୟୁନିସେଫର ପ୍ରତିନିଧିଗଣ ଉପସ୍ଥିତ ଥିଲେ।