February 5, 2025

କୋଏଲ ନଦୀ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି

1 min read

ରାଉରକେଲା: ସହର ଉପକଣ୍ଠରେ ପ୍ରବାହିତ କୋଏଲ ନଦୀ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେବେଳେ ପିକ୍‌ନିକ କରିବାକୁ ଯାଇ କଲେଜ ଛାତ୍ର ବୁଡ଼ିଯାଉଛନ୍ତି ତ ପୁଣି କେତେବେଳେ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଉଛନ୍ତି। ବିଗତ ଦିନରେ ଏଭଳି ଲୋମଟାଙ୍କୁରା ଅଘଟଣ ଦେଖିବାକୁ ମିଳିଥିଲା। ଗତ ମାର୍ଚ୍ଚ ୧୮ ତାରିଖରେ କୋଏଲନଦୀର ମିଟ୍‌କୁନ୍ଦୁରୀଠାରେ ଦୁଇ ଜଣ ଆଇଟିଆଇ ଛାତ୍ରଙ୍କ ଜୀବନ ଯାଇଥିଲା। ସ୍ଥାନୀୟ ବୁଧୁବୀର ଆଇଟିଆଇର ପ୍ରଥମ ବର୍ଷର ୮ ଜଣ ଛାତ୍ର ପିକନିକ୍‌ କରିବାକୁ ମିଟ୍‌କୁନ୍ଦୁରୀ ଅଞ୍ଚଳକୁ ଯାଇଥିଲେ। ସେଠାରେ ଗାଧେଇବାବେଳେ ବନ୍ଧମୁଣ୍ଡାର ଅନୀକେତ ବୋର୍ଡା(୨୧) ଓ ନୀତେଶ ମହନ୍ତ(୧୯) ନଦୀ ସ୍ରୋତରେ ଭାସିଯାଇଥିଲେ। ୨୦୨୩ ଡିସେମ୍ବର ୨ ତାରିଖରେ ଏଭଳି ଅଘଟଣ ଘଟି ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା। ବାସନ୍ତୀ କଲୋନି ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ର ତଥା ସ୍ଥାନୀୟ ଲେବରଟେନାମେଣ୍ଟ୍‌ ଅଞ୍ଚଳର ପ୍ରିୟାଂଶୁ ଭୋଳ (୧୪) ଓ ପ୍ରିୟରଞ୍ଜନ ପାଢ଼ୀ। ୟୁନିଟ୍‌ ଟେଷ୍ଟ୍‌ ପରୀକ୍ଷା ଶେଷ ହୋଇଥିବାରୁ ପ୍ରିୟାଂଶୁ, ପ୍ରିୟରଞ୍ଜନ ଓ ଅନ୍ୟ ଦୁଇସାଙ୍ଗ ପ୍ରଧାନପାଲି ରେଳ ଓଭରବ୍ରିଜ୍‌ କୋଏଲନଦୀ ଘାଟକୁ ଯାଇଥିଲେ। ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ଗାଧୋଇବାକୁ ନଦୀରେ ପଶିଥିବାବେଳେ ଅନ୍ୟ ଦୁଇ ସହପାଠୀ କୂଳରେ ଛିଡ଼ାହୋଇଥିଲେ। ଗାଧେଇବାବେଳେ ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ନଦୀରେ ଭାସି ଯାଇଥିଲେ। ୨୦୨୨ ଜୁଲାଇ ୯ ତାରିଖ ପବିତ୍ର ବାହୁଡାଯାତ୍ରା ଦିନ ସଂଘଟିତ ଘଟଣା ସମଗ୍ର ରାଜ୍ୟରେ ଶୋକ ଖେଳାଇଦେଇଥିଲା। କୋଏଲନଦୀର ଝିରପାଣି ପମ୍ପ ହାଉସ୍‌ ଘାଟରେ ଗାଧେଇବାବେଳେ ପାଣିରେ ବୁଡି ୪ ଜଣ ସଂପର୍କୀୟ ଭାଇ ଋଷି ସାହୁ (୧୧), କୁନାଲ ସାହୁ (୧୩) ଓ ଆୟୁଷ ସାହୁ (୧୬) ଓ କୌଶଳ ସାହୁ (୧୩)ଙ୍କ ମୃତ୍ୟୁ ହୋଇଥିଲା। ସମସ୍ତେ ଝାଡ଼ଖଣ୍ଡର ମୂଳବାସିନ୍ଦା ହୋଇଥିବାବେଳେ ଝିରପାଣିରେ ରହୁଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ।