ରୁଷ୍ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
1 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ଗସ୍ତରେ ଯାଇଛନ୍ତି। କାଜାନ ସହରରେ ହେବାକୁ ଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀ ରୁଷ୍ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ପୁଟିନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିବା ସହିତ ଅନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ଏକ ବିବୃତିରେ କହିଛନ୍ତି ଯେ ବ୍ରିକ୍ସ ମଧ୍ୟରେ ଥିବା ଘନିଷ୍ଠ ସହଯୋଗକୁ ଭାରତ ଗୁରୁତ୍ୱ ଦେଇଥାଏ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ରୁଷ୍ ଗସ୍ତ କରୁଛନ୍ତି। ଏହି ଅବସରରେ ସେ ଅନ୍ୟ ବ୍ରିକ୍ସ ନେତା ଏବଂ ଆମନ୍ତ୍ରିତ ଅଧିକାରୀଙ୍କ ସହ କଥା ହେବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି , ‘ ଷ୍ଟ୍ରେନ୍ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ। ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି।