ଆଜି ଚାଲିଛି ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ
1 min readଜମ୍ମୁ: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୪୦ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।
ତୃତୀୟ ପର୍ଯ୍ୟାରେ ଜମ୍ମୁ କଶ୍ମୀରର ମୋଟ ୩୯ ଲକ୍ଷ ୧୮ ହଜାର ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୫,୦୬୦ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୯୭୪ଟି ସହରାଞ୍ଚଳରେ ଓ ୪,୦୮୬ଟି ଗ୍ରାମାଞ୍ଚଳରେ ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ୪୦ଟି ବିଧାନସଭା ଆସନ ଜମ୍ମୁ କଶ୍ମୀରର ୭ଟି ଜିଲ୍ଲାରେ ରହିଛି। ସେଥିମଧ୍ୟରୁ ମଧ୍ୟରୁ ୨୪ଟି ଆସନ ଜମ୍ମୁ ଡିଭିଜନରେ ଥିବାବେଳେ ବାକି ୧୬ଟି ଆସନ କଶ୍ମୀର ଡିଭିଜନରେ ରହିଛି। ଏହିସବୁ ଆସନରେ ମୋଟ ୪୧୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୮୭ ଜଣ ପୁରୁଷ ଏବଂ ୨୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି। ଏଥିରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ
ପର୍ଯ୍ୟାୟ ଓ ସେପ୍ଟେମ୍ବର ୨୫ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା। ମଙ୍ଗଳବାର ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ଅକ୍ଟୋବର ୮ ତାରିଖରେ ଫଳାଫଳ ଘୋଷଣା ହେବ। ଏହି ନିର୍ବାଚନରେ କଂଗ୍ରେସ ଓ ଜମ୍ମୁ କଶ୍ମୀର ନାସନାଲ କନଫରେନ୍ସ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ସେହିପରି ବିଜେପି ଓ ପିଡିପି ଅଲଗା ଅଲଗା ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ତେବେ ଅନେକ ଆସନରେ ସ୍ଵାଧୀନ ପ୍ରାର୍ଥୀମାନେ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି।