October 18, 2024

କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶନାମା

1 min read

ଭୁବନେଶ୍ବର/କଟକ: ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।

ଫଳରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ହସପିଟାଲ୍ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ତୁରନ୍ତ ଷ୍ଟାଫ୍ ନର୍ସମାନେ ଆନ୍ଦୋଳନରୁ ଓହରି ଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅପିଲ କରିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ଷ୍ଟାଫ୍ ନର୍ସ କର୍ମଚାରୀ ସଂଘ କହିଛି ଦାବି ପୂରଣ ନେଇ ଆମ ସହ ସରକାର ଆଲୋଚନା କରନ୍ତୁ। ନଚେତ୍ ଆମର ଏ ଆନ୍ଦୋଳନ ଚାଲିଥିବ ବୋଲି ସଂଘ କହିଛି। ଆନ୍ଦୋଳନ ଯୋଗୁଁ କଟକ ଏସ୍‌ସିବିରେ ଜେନେରାଲ୍ ଓଟି ବନ୍ଦ । ଜରୁରୀ ନ ଥିଲେ ଅପରେସନ୍ ବନ୍ଦ କରି ତାରିଖ ଗଡ଼ାଇ ଦିଆଯାଉଛି। ଗୁରୁତର ରୋଗୀଙ୍କୁ ଆଉଟ୍ ଡୋରରୁ ସିଧାସଳଖ ଟ୍ରମା କାଜୁଆଲିଟିକୁ ପଠାଇ ଦିଆଯାଉଛି।

ଜୁନିୟର ଡାକ୍ତର ଇଞ୍ଜେକସନ୍ ଦେବା ଏବଂ ସାଲାଇନ୍ ଲଗାଇବା କାମ କରୁଛନ୍ତି । ରୋଗୀ ସେବାର ସ୍ଥିତି ଏତେ ଜଟିଳ ଯେ ପ୍ରଫେସର୍‌ମାନେ କୁଆଡ଼େ ଯାଇପାରୁନାହାନ୍ତି। ସମସ୍ତଙ୍କ ଛୁଟି ବାତିଲ ହୋଇଥିବାରୁ ମେଡିକାଲ୍‌ରେ ରହି ରୋଗୀ ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି ।
କ୍ୟାନ୍ସର ହସ୍‌ପିଟାଲ,ଶିଶୁଭବନ, କଟକ ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାବ୍ୟାପୀ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବାକୁ ନେଇ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଅନେକ ହସପିଟାଲ୍‌ରେ ଟ୍ରେନି ନର୍ସଙ୍କ ଭରସାରେ ସ୍ବାସ୍ଥ୍ୟସେବା ଚାଲିଛି।

ନର୍ସିଂ ଷ୍ଟାଫ ଧର୍ମଘଟକୁ ଦୃଷ୍ଟିରେ ରଖି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ହସ୍ପିଟାଲ ମଧ୍ୟରେ ଆଡ଼ମିଶନ ବନ୍ଦ ରହିଛି। ଜରୁରୀକାଳୀନ ଓଟି ଛଡ଼ା ଅନ୍ୟ ସେବା ବନ୍ଦ ବୋଲି ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନଙ୍କ ସଂଖ୍ୟା ୱାର୍ଡରୁ କମାଇବା ପାଇଁ ରୋଗୀଙ୍କୁ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ବଡ଼ ଧରଣର ପ୍ରଭାବ କ୍ୟାପିଟାଲ ହସ୍ପିଟାଲରେ ପରିଲକ୍ଷିତ ହୋଇଛି ।

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ସିଲେକ୍ଟିଭ ଅପରେସନ ବନ୍ଦ କରାଯାଇଥିବା ବେଳେ କେବଳ ଏମର୍ଜେନ୍ସି ଅପରେସନ କରାଯାଉଛି। ୧୮୦ ନର୍ସିଂ ଅଫିସର ଆନ୍ଦୋଲୋନରେ ରହିଛନ୍ତି।

ସୂଚନାଯୋଗ୍ୟ, ନର୍ସିଂ ସଂଘ ଅହୋରାତ୍ର ଆନ୍ଦୋଳନ ଡାକରା ଦେଇଥିବାରୁ ରାଜ୍ୟର ସରକାରୀ ମେଡିକାଲରେ ସ୍ବାସ୍ଥ୍ୟ ସେବା ଅଧିକ ଜଟିଳ ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *