September 19, 2024

ଦୁଷ୍କର୍ମ ପୀଡ଼ିତାଙ୍କୁ ୨୧ ଦିନରେ ନ୍ୟାୟ

1 min read

କୋଲକାତା: ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାକୁ ନେଇ ଦେଶବ୍ୟାପୀ ଉଠିଛି ପ୍ରତିବାଦର ସ୍ଵର। ଏହି ଘଟଣା ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ପଶ୍ଚିମବଙ୍ଗ ସରକାର କଡ଼ା ଆଇନ ଆଣିଛନ୍ତି। ଦୁଷ୍କର୍ମ କରିଥିବା ଦୋଷୀକୁ ଦଣ୍ଡ ଦେବା ଲାଗି ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା ବିଲ୍’ ପାରିତ ହୋଇଛି।

‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪’ ଅନ୍ତର୍ଗତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଶୀଘ୍ର ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହିଛି। ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରି ଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ପ୍ରାବଧାନ କରାଯାଇଛି।

ଆରଜି କର ମେଡିକାଲ କଲେଜ ପରିସରରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ରାତି ଅଧରେ ଦୁଷ୍କର୍ମ ପରେ ହତ୍ୟା କରାଗଲା। ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ବେଳେ ଜଳି ଉଠିଥିଲା ପ୍ରତିବାଦର ନିଆଁ। ସାରା ଦେଶରେ ଶୁଭିଲା ପ୍ରତିବାଦର ସ୍ଵର। ଏହି ଘଟଣାକୁ ନେଇ ଆରମ୍ଭ ହେଲା ରାଜନୀତି। ଏହାରି ମଧ୍ୟରେ ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଗଲା। ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଛି ସିବିଆଇ।

ମହିଳାଙ୍କୁ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲାରେ ଦୋଷୀକୁ କଠୋର ଦଣ୍ଡାଦେଶ ଦିଆଯିବ। ରାଜ୍ୟରେ ପୋକ୍ସୋ ଆକ୍ଟର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ପଶ୍ଚିମବଙ୍ଗର ପ୍ରତି ଜିଲ୍ଲାରେ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ, ଯେଉଁଥିରେ ପ୍ରାଥମିକ ରିପୋର୍ଟର ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବ।

କେବଳ ଦୁଷ୍କର୍ମ ନୁହେଁ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମଧ୍ୟ ଏକ ଗୁରୁତର ଅପରାଧ ବୋଲି ବିବେଚନା କରାଯାଇଛି।

ଯଦି କେହି ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସଂଖ୍ୟା ବଢ଼ାଇବାକୁ ଯୋଜନା କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକମାନେ ମଧ୍ୟ ଏହି ବିଲକୁ ନିଜର ସମର୍ଥନ ଦେଇଛନ୍ତି।

ଏହି ବିଲରେ ଉଲ୍ଲେଖ କରାଯାଇଛି, ଦୁଷ୍କର୍ମ ପୀଡ଼ିତା କୋମାକୁ ଚାଲିଯାଆନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟେ ତେବେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ। ଦୁଷ୍କର୍ମ ଘଟଣାର ତଦନ୍ତ ଶେଷ କରିବାକୁ ପୋଲିସକୁ ୨୧ ଦିନ ଦିଆଯିବ। ଏହି ସମୟ ସୀମା ମଧ୍ୟରେ ଯଦି ତଦନ୍ତ ସମ୍ପୂର୍ଣ୍ଣ ନହୁଏ ତେବେ ପୋଲିସକୁ ଆଉ ୧୫ ଦିନ ସମୟ ମିଳିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୋଲିସକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହେବ।

ତଦନ୍ତ ରିପୋର୍ଟ ପ୍ରଦାନର ଠିକ ମାସକ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ହେବ। ଏହା ପରେ ମାମଲାର ବିଚାର କରି କୋର୍ଟ ଦଣ୍ଡ ବିଧାନ କରିବେ। ପଶ୍ଚିମବଙ୍ଗ ସରକାରଙ୍କ ‘ଅପରାଜିତା ବିଲ୍’ ଯଦି ଆଇନରେ ପରିଣତ ହୁଏ, ସରକାରଙ୍କ କହିବା ଅନୁସାରେ ୨୧ ଦିନ ମଧ୍ୟରେ ଦୋଷୀକୁ ମୃତ୍ୟୁ ଦଣ୍ଡ ମିଳିବ। ଏହି ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଭାରତୀୟ ନ୍ୟାୟ ବ୍ୟବସ୍ଥା ଅନୁସାରେ ଯଦି କୌଣସି ଅଭିଯୁକ୍ତଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡରେ ଦଣ୍ଡିତ କରନ୍ତି, ତେବେ ତଳ କୋର୍ଟଙ୍କ ରାୟ ଅନୁସାରେ ଦୋଷୀକୁ ଫାଶୀ ଦିଆଯିବ ନାହିଁ। ଦୋଷୀ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ। ଯଦି ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଳବତ୍ତର ରଖନ୍ତି, ତେବେ ଦୋଷୀ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ। ସୁପ୍ରିମକୋର୍ଟ ଯଦି ହାଇକୋର୍ଟଙ୍କ ରାୟକୁ କାଏମ ରଖନ୍ତି ତେବେ ଦୋଷୀ ଦଣ୍ଡ କୋହଳ କରିବା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥାନ୍ତି। ରାଷ୍ଟ୍ରପତିଙ୍କ ବିଚାର ଅନୁସାରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

ଫାଶୀଦଣ୍ଡ ପ୍ରକ୍ରିୟା ସହଜ ହୋଇନଥିବାରୁ ଏବେ ‘ଅପରାଜିତା ବିଲ’କୁ ନେଇ ବିଭିନ୍ନ ମହଲରେ ଆଲୋଚନା, ସମାଲୋଚନା ଆରମ୍ଭ ହୋଇଛି। ଏବେ ପ୍ରଶ୍ନ ଉଠୁଛି ଅପରାଜିତା ବିଲ ଯଦି ଆଇନରେ ପରିଣତ ହୁଏ, ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ ତ?

Leave a Reply

Your email address will not be published. Required fields are marked *