September 19, 2024

ଡିଜେ ମୁକ୍ତ ରୋଷଣୀ, ନିଶାମୁକ୍ତ ଭଷାଣୀ :କଟକ ପ୍ରସିଦ୍ଧ ଦୁର୍ଗାପୂଜା

1 min read

କଟକ: ଆସନ୍ତା ଅକ୍ଟୋବର ୯ ତାରିଖରୁ ଯାକଜମକରେ ଆରମ୍ଭ ହେବ କଟକ ପ୍ରସିଦ୍ଧ ଦୁର୍ଗା ପୂଜା। ରବିବାର ୧୭୫ଟି ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଛି କଟକ ମହାନଗର ଶାନ୍ତି କମିଟି ଦୁର୍ଗା ପୂଜା ଓ ଭଷାଣ ଉତ୍ସବ ପ୍ରସ୍ତୁତି ବୈଠକ। ଏଥିରେ ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦୋଷ, ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ବାଳ, କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମହମ୍ମଦ ମୋକିମ ଓ ପ୍ରଭାତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ଡିଜେ ମୁକ୍ତ ରୋଷଣୀ, ନିଶାମୁକ୍ତ ଭଷାଣୀ ଓ ପଲିଥିନ ମୁକ୍ତ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୈଠକରେ କଟକ ଜିଲ୍ଲାପାଳ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। କଟକ ଦୁର୍ଗା ପୂଜା ବେଳେ ଲେଜର ଲାଇଟର ବ୍ୟବହାର କରି କାହାରି ଆଖିକୁ ଆମେ କ୍ଷତି ପହଞ୍ଚାଇବା ନାହିଁ। ସେହିପରି ଯୁବକମାନେ ଫାୟାର ଗନ୍ ବ୍ୟବହାର କରି ବଡ ଅଗ୍ନିକାଣ୍ଡକୁ ନିମନ୍ତ୍ରଣ କରିବେ ନାହିଁ। ଏଥି ସହିତ ମଦ ଯେପରି ସହରକୁ ବେଆଇନ ଭାବେ ନ ଆସିବ ସେଥିପାଇଁ ପୋଲିସ ସହ ସାଧାରଣ ଲୋକ ସଚେତନ ହେବେ। ଅନ୍ୟ ପକ୍ଷରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡିଜେକୁ ନା କହିବା ସହ ଜୋର ଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଥିଲେ। ରାସ୍ତାଘାଟ, ଆଲୋକ ମରାମତି, ସହରକୁ ସଫା ସୁତୁରା ରଖିବା ପାଇଁ ମେୟର ପ୍ରତିଶୃତି ଦେଇଥିଲେ।
ପୂର୍ବ ସରକାର ଯେପରି ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋକ ସଜବାଜ ଉପରେ କର ଛାଡ଼ କରିଥିଲେ ଓ ପୂଜା ମଣ୍ଡପ ଗୁଡିକ ଉପକୃତ ହୋଇଥିଲେ, ସେପରି ନିଷ୍ପତ୍ତି ଏଥର ନେବାକୁ ବୈଠକରେ ଦାବୀ ହୋଇଥିଲା।

Leave a Reply

Your email address will not be published. Required fields are marked *