ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ
1 min readଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ‘ଭାରତରେ ଶାସନ: ପ୍ରାଥମିକତା, ନୀତି, ଆଶା’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଏମକେସିଜି ଅଡିଟୋରିଅମରେ ଉଦଯାପିତ ହୋଇଯାଇଛି ।ପ୍ରଶାସନକୁ ମାର୍ଗଦର୍ଶନ କରିଥାଏ ଶାସନ | ଶାସନ କହିଲେ ନିୟମ, ପ୍ରକ୍ରିୟା, ଏବଂ ଅନୁଷ୍ଠାନଗୁଡିକର କାର୍ଯ୍ୟପ୍ରଣାଳୀକୁ ବୁଝାଏ ଯାହା ଏକ ଦେଶ, ରାଜ୍ୟ କିମ୍ବା ସଂଗଠନର ପରିଚାଳନା ଏବଂ ପ୍ରଶାସନକୁ ମାର୍ଗଦର୍ଶନ କରିଥାଏ। ଏହା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଏବଂ ନାଗରିକଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳତାକୁ ଅନ୍ତର୍ଭୁକ୍ତ କରେ। ଶାସନ ପରିଚାଳନା ଗତିଶୀଳତା, ଏକ ସଂଘୀୟ ବ୍ୟବସ୍ଥା ସହିତ ଏକାଧିକ ସରକାରୀ ସ୍ତର ଏବଂ ଏକ ବୃହତ ଜନସଂଖ୍ୟାକୁ ନେଇ ଭାରତୀୟ ପ୍ରଶାସନ କାର୍ଯ୍ୟ କରୁଛି। ସାମଗ୍ରିକ ଭାବରେ, ଭାରତରେ ଶାସନ: ପ୍ରାଥମିକତା, ନୀତି ଏବଂ ଆଶା ସର୍ବଦା ଶାସନ ବ୍ୟବସ୍ଥାର ବୃଦ୍ଧି ପାଇଁ ଭବିଷ୍ୟତର ସମ୍ଭାବନାକୁ ଅନୁଧ୍ୟାନ କରିଥାଏ, ଯାହା ଦେଶର ଅର୍ଥନୈତିକ ଏବଂ ସାମାଜିକ ସମ୍ବଳ ପରିଚାଳନା ପାଇଁ ଶକ୍ତି କିପରି ବ୍ୟବହାର କରାଯାଏ ତାହା ସୂଚିତ କରିପାରିବ ବୋଲି ବିଶେଷଜ୍ଞ କହିଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏବଂ ବିଶ୍ୱ ବ୍ୟାଙ୍କ ସମର୍ଥିତ ଓଡ଼ିଶା ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍କର୍ଷ ଏବଂ ଇକ୍ୱିଟି (ଡବ୍ଲୁବି-ଓଏଚଇପିଇଇ) ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀରେ ୭୫ଟି ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ ହୋଇଥିଲା।
ସମ୍ମିଳନୀ ଅଧିବେଶନର ଦ୍ୱିତୀୟ ଦିନରେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରତୀକ କୁମାର ମିଶ୍ର ଏବଂ ଭୁବନେଶ୍ୱରର ଆଇଆଇଟି ହ୍ୟୁମାନିଟିଜ ବିଭାଗର ସହଯୋଗୀ ପ୍ରଫେସର ନରେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ଶେଷ ଦିନରେ ସ୍ମାର୍ଟ ସିଟିର ସମ୍ବଳ ହ୍ରାସ, କର୍ମଜୀବୀ ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଛୁଟିର ଆବଶ୍ୟକତା, ସହର ଓ ଆଞ୍ଚଳିକ ସ୍ତରରେ କାର୍ଯ୍ୟକାରୀ ଶିକ୍ଷା ବ୍ୟବସ୍ଥା, ଯୁବପିଢ଼ୀଙ୍କ ମାନସିକ ସ୍ବାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା।
‘ଭାରତରେ ଶାସନ: ପ୍ରାଥମିକତା, ନୀତି, ଆଶା’ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଯାପନି ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ ଡ. କାହ୍ନୁଚରଣ ଧୀର ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ଶାସନ ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିଥିଲେ। ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ପ୍ରଫେସର ଇ. ଭେଙ୍କଟେସୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାଥମିକତା, ନୀତି, ଆଶା ଉପରେ ଧ୍ୟାନ ଦେଇ ଭାରତରେ ଶାସନର କିଭଳି ସୁବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ ବିଶ୍ଳେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ପ୍ରତିଷ୍ଠାତା ପ୍ରଫେସର ବାଳକୃଷ୍ଣ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତୀମା ଷଡ଼ଙ୍ଗୀ ସ୍ବାଗତ ଅଭିଭାଷଣ ରଖିଥିବାବେଳେ ଜାତୀୟ ସମ୍ମିଳନୀର ସାଂଗଠନିକ ସମ୍ପାଦକ ଡ.ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ ପାଇଁ ୨ଜଣଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।