November 21, 2024

ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

1 min read

କଟକ: କଟକ ଏସସିବି ମେଡିକାଲରେ ଜଣେ ଡାକ୍ତର ୨ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି ପୋଲିସ। ଘଟଣାର ତଦନ୍ତ ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି। କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପି ଆନ୍ଦୋଳନ ଚାଲିଥିବାବେଳେ, କଟକର ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୁକ୍ତ ଠାକୁର ଦିଲବାଗ ସିଂ ଏସସିବି ମେଡିକାଲ କଲେଜର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର। ସେ ଏସସିବିର କାର୍ଡିଓଲୋଜି ବିଭାଗରେ ୨ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି। ତାଙ୍କ ଘର ମଧ୍ୟପ୍ରଦେଶରେ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ମହିଳା ଦୁଇ ଜଣ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଇସିଜି କରିବା ପାଇଁ କହିଥିଲେ। ମାତ୍ର ସେହିଦିନ ଇସିଜି ହୋଇନପାରିବାରୁ ରବିବାର ଦିନ ଉଭୟ ମହିଳା ଏସସିବି କାର୍ଡିଓଲୋଜି ବିଭାଗରେ ଇସିଜି କରିବାକୁ ଯାଇଥିଲେ।

ତେବେ ଇସିଜି ବାହାନାରେ ଅଭିଯୁକ୍ତ ଡାକ୍ତର ଜଣଙ୍କ ଉକ୍ତ ମହିଳା ରୋଗୀ ଦ୍ୱୟଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ବିଏନଏସ ଧାରା ୬୪ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ଅନ୍ୟପଟେ ଉଭୟ ମହିଳା ଦୁଇ ଜଣ ମିଛ ଅଭିଯୋଗ କରିଛନ୍ତି ବୋଲି ଡାକ୍ତରଙ୍କ ପରିବାର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *