ଓଡ଼ିଶାରେ ଅଗଷ୍ଟ ୯ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
1 min readଭୁବନେଶ୍ୱର : ସାରା ଓଡ଼ିଶାରେ ଏବେ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ବର୍ଷା ପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବର୍ଷା ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା – ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ଦେଓଗଡ଼, ସମ୍ବଲପୁର, ସୋନେପୁର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ।
ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାରାହାରି ୧୩.୫ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ବୌଦ୍ଧରେ ୧୪୫ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି। ସେହିପରି ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୧୩୭ ମିଲିମିଟର, ବୀରମହାରାଜପୁରରେ ୧୧୧ ମିଲିମିଟର ଓ ବିନିକାରେ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୬୦.୩ ମିଲିମିଟର ହୋଇଛି। ମାଲକାନଗିରି, କୋରାପୁଟ, ବୌଦ୍ଧ ଓ ନୂଆପଡ଼ାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।