December 22, 2024

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

1 min read

ପୁରୀ : ସରିଛି ଶ୍ରୀଜିଉଙ୍କର ସୁନାବେଶ । ଗୁରୁବାର ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏବଂ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ I ବଡ଼ଦାଣ୍ଡକୁ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ସେଇମାନଙ୍କୁ ତୃପ୍ତ କରିବା ପାଇଁ ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି କରାଯାଇଥାଏ ।

ଶ୍ରୀ ବିଗ୍ରହମାନଙ୍କର ଶ୍ରୀ ଅଧରଲାଗି ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡି ସବୁକୁ ରଥ ଉପରେ ରଖାଯାଇଥାଏ । ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ପାର୍ଶ୍ୱ ଦେବଦେବୀ ତଥା ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଭାଙ୍ଗି ଦିଆଯାଇଥାଏ । ପ୍ରତି ରଥରେ ୩ଟି ମାଟିହାଣ୍ଡି ହିସାବରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ସେଇ ବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଶ୍ରୀ ବିଗ୍ରହଙ୍କ ନିମନ୍ତେ ଏହି ପଣାରେ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡ଼ି ପଣା ପ୍ରସ୍ତୁତ ହୋଇଥାଏ। ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୁଏ। ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦେଇଥାନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *