November 22, 2024

ଆଡ଼ପ ପହଣ୍ଡି ସମୟରେ ଅଘଟଣ: ଚାରମାଳ ଉପରେ ନଇଁପଡିଲେ ଶ୍ରୀବଳଭଦ୍ର

1 min read

ପୁରୀ: ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ହେବା ସମୟରେ ଘଟିଥିବା ଅଘଟଣ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡବାଡଗ୍ରାହୀ ବଡଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ଆଡପମଣ୍ଡପକୁ ନେବାବେଳେ ଚାରମାଳରେ ମହାପ୍ରଭୁ ଖସିଯାଇଥିଲେ, ଏପରିକି ଦାରୁବ୍ରହ୍ମ ନଇଁପଡିବା ପରି ମନେ ହୋଇଥିଲା । ହେଲେ ପଛରୁ ଅନ୍ୟ ସେବକମାନେ ଆସି ଠାକୁରଙ୍କୁ ଟାଣି ରଖିଥିଲେ । ତେବେ ଏଥିରେ କିଛି ସେବକ ଆହତ ହୋଇଥିବା ଜଣାପଡିଛି । ତେବେ ମହାପ୍ରଭୁଙ୍କ ସେବା ସମୟରେ ଏଭଳି ଘଟଣା ଘଟିଲା କାହିଁକି ପୁରୀ ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଘଟିଛି ଅଘଟଣ । ପହଣ୍ଡି ବିଜେ ସମୟରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯାଇଛନ୍ତି। ଫଳରେ ୭ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ସାମ୍ନାକୁ ଝୁଙ୍କି ପଡ଼ିଥିଲେ। ଏହି ସମୟରେ ସେବାୟତମାନେ ସତର୍କତାର ସହିତ ବଡ଼ଠାକୁରଙ୍କୁ ଧରିଥିଲେ। ଏହି ଅପ୍ରୀତିକର ଘଟଣାରେ ୭ ଜଣ ସେବାୟତ ଆହତ ହୋଇଥିଲେ। ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଲା, ସେନେଇ ପ୍ରକୃତ ତଥ୍ଯ ସାମ୍ନାକୁ ଆସି ନାହିଁ। ଏହି ଘଟଣା କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଛି।

Leave a Reply

Your email address will not be published. Required fields are marked *