October 27, 2024

ସୁସ୍ଥ ହେଲେ ମହାପ୍ରଭୁ ,ତ୍ରୟୋଦଶୀ ତିଥିରେ ହେବ ଘଣାଲାଗି ନୀତି

1 min read

ପୁରୀ : ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ | ଆଜି ଶ୍ରୀଜିଉଙ୍କର ଘଣା ଓ ଖଳି ପ୍ରସାଦ ନୀତି କରାଯିବ। ଆଜି ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି। ଆଜି ବିଳମ୍ବିତ ରାତିରୁ ସହସ୍ରରେ ଘଣାକଟା ଆରମ୍ଭ ହୋଇଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତି ଚାଲିବ। ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ,ଛତା,କାହାଳୀ ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥିପାଇଁ ଆଜି ସନ୍ଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ବିମଳାଙ୍କ କୂଅରୁ ଜଳ ନିଆଯାଇଛି। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଶୁଦ୍ଧ ସୁଆରଙ୍କ ଦ୍ଵାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ଖଳି ଲାଗି ପୂର୍ବରୁ ସମ୍ପନ୍ନ ହେବ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି। ତାପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ଦଇତା ଓ ପତି ମହାପାତ୍ର ସେବକମାନେ ଏକ ସ୍ଵତନ୍ତ୍ର ଣୈଳୀରେ ବସ୍ତ୍ର ଆବରଣ କରିବେ। ନବ ଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହ ମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ।

ଆଗାମୀ ୭ ତାରିଖ ଦିନ ଠାକୁରଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଗତ ମାସ ୨୨ରେ ପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୦୮ ଗଡୁ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିଥିଲେ ମହାପ୍ରଭୁ। ସ୍ନାନମଣ୍ଡପରୁ ଫେରିବା ପରେ ପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଥିଲେ। ସେବେଠାରୁ ଶ୍ରୀମନ୍ଦିର ଅନବସର ଘରେ ପ୍ରଭୁଙ୍କ ଗୁପ୍ତସେବା ଅନୁଷ୍ଠିତ ହେଉଛି। ଜ୍ବର ପୀଡ଼ା ଲାଘବ ପାଇଁ ଗତ ୨୭ ରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଥିଲା। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି ମଙ୍ଗଳବାର ପ୍ରଭୁ ସେବନ କରିଥିଲେ। ଏବେ ଦାରୁବ୍ରହ୍ମ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ରଥ ଉପରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *