October 27, 2024

ରଥଯାତ୍ରା ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

1 min read

ପୁରୀ: ରଥଯାତ୍ରା ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ ରଥଯାତ୍ରା ପାଖେଇ ଆସୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଯାତ୍ରା ସମୟରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ।

ପୋଲିସ ଡିଜିଙ୍କ ସୂଚନା ଅନୁସାରେ ରଥଯାତ୍ରା ସମୟରେ ପୁରୀରେ ୪ ଜଣ ଅତିରିକ୍ତ ଡିଜିଙ୍କ ନେତୃତ୍ଵରେ ୬ ଜଣ ଆଇଜି ଓ ଡିଆଇଜି ରାଙ୍କର ଅଧିକାରୀ, ୧୯ ଜଣ ଏସପି, ୩୩ ଜଣ ଅତିରିକ୍ତ ଏସପି, ୭୫ ଜଣ ଡିଏସପି, ୧୩୦ ଜଣ ଇନସ୍ପେକ୍ଟର ଏବଂ ୬୭୫ ଜଣ ଏସଆଇ ଓ ଏଏସଆଇ ନିୟୋଜିତ ରହିବେ। ଏହାବ୍ୟତୀତ ୩ ପ୍ଲାଟୁନ୍‌ ସ୍ପେଶାଲ ଷ୍ଟ୍ରାଇକିଂ ‌ୟୁନିଟ୍‌ ଓ ୫ କମ୍ପାନି ରାପିଡ୍‌ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯିବ।

ଚଳିତ ବର୍ଷ ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଏହାସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ବିଧାୟକ ଓ ସାଂସଦମାନେ ମଧ୍ୟ ପୁରୀ ଆସିବେ ବୋଲି ଆକଳନ କରାଯାଉଛି। ସେହିପରି ସହରରେ ଟ୍ରାଫିକ୍‌ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରୋନ୍‌ ବ୍ୟବହାର କରାଯିବ। ପୁରୀ ଉପକୂଳରେ ପାଟ୍ରୋଲିଂ ପାଇଁ କୋଷ୍ଟଗାର୍ଡ ମଧ୍ୟ ନିୟୋଜିତ ରହିବେ। ଏବେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ହୋଟେଲ ଏବଂ ଲଜଗୁଡ଼ିକୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *