October 27, 2024

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟିପ୍ପଣୀକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା :ପ୍ରତାପ ଦେବ

1 min read

ଭୁବନେଶ୍ୱର: ସୋମବାର ଏକ ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଏକ ସଭାରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ।କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟିପ୍ପଣୀକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ସେ କହିଛନ୍ତି, ଖଣି ଦୁର୍ନୀତି ହୋଇଥିଲା। ଏଥିରେ କାହାରିକୁ ଛଡ଼ାଯିବ ନାହିଁ। ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରୀପଦ ଓ ଅନ୍ୟାନ୍ୟ ପ୍ରଲୋଭନ ଦିଆଯାଇଥିଲା ବୋଲି ଯାହା କହିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଯେ, ସେ ଏବେ ବିରୋଧୀ ଦଳରେ ନାହାନ୍ତି। ସେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା। ତାଙ୍କ ପଦ ମର୍ଯ୍ୟାଦା ବଞ୍ଚାଇ ରଖିବା ତାଙ୍କର କର୍ତ୍ତବ୍ୟ। ଯେଉଁଭଳି ସେ ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହଁ। ଯେକୌଣସି ପରିସ୍ଥିତି ଓ ଯେକୌଣସି କଥାର ଜବାବ ଦେବାକୁ ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛି। ଯଦି ସେ କହୁଛନ୍ତି ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ପ୍ରଲୋଭନ ଦେଖାଯାଇଥିଲା, ସେତେବେଳେ ଏହାକୁ ସେ ଗଣମାଧ୍ୟମରେ କାହିଁକି କହିଲେନି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା କେତେଦୂର ତାଙ୍କୁ ସାଜୁଛି ସେ ନିଜକୁ ନିଜେ ପଚାରିବା ଉଚିତ। ସେ ଚାହିଁଥିଲେ ସେତେବେଳେ କେସ୍‌ କରିପାରିଥାନ୍ତେ। ଏକଥା ନ କରି ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ୟ ଦେବା କେତେଦୂର ସମୀଚୀନ ତାହା ସେ ତର୍ଜମା କରନ୍ତୁ। ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାର ଯଦି ଶିଖିବାର ଅଛି ତେବେ ଓଡ଼ିଶାରୁ ଶିଖ। ସଂସଦରେ ତାଙ୍କ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ଏହାକୁ ସ୍ବୀକାର କରିଛନ୍ତି। ଏହାକୁ କେମିତି ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି। ସଂଘୀୟ ବ୍ୟବସ୍ଥାରେ କିପରି ଶାସନ କରିବାକୁ ହୁଏ, ତାହା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ। କ୍ଷମତାକୁ ଆସି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡ଼ନ୍ତୁ। ଓଡ଼ିଶାବାସୀ ଓ ଲୋକମାନେ ଭାଜପାକୁ ଜନମତ ଦେଇଛନ୍ତି। ତାଙ୍କ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ। ଏଭଳି ଉକ୍ତି ଯଦି ଜଣେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ରଖିବେ, ତେବେ ତାହା ଶୋଭନୀୟ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।

Leave a Reply

Your email address will not be published. Required fields are marked *