October 22, 2024

ପ୍ରୋଟେମ ସ୍ପିକରଙ୍କୁ ନେଇ ବିବାଦ

1 min read

ନୂଆଦିଲ୍ଲୀ: ସୋମବାର ଠାରୁ ୧୮ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତଥାପି ଏହା ପୂର୍ବରୁ ପ୍ରୋଟେମ ସ୍ପିକରଙ୍କୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏହି ପ୍ରସଙ୍ଗରେ ସଂସଦର ପରମ୍ପରାକୁ ନଷ୍ଟ କରିଛି ବୋଲି ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ, ୮ଥର ଏମପି କେ. ସୁରେଶଙ୍କୁ ପ୍ରୋ ଟେମ ସ୍ପିକର କରାଯିବା ଉଚିତ। ତାଙ୍କ ବଦଳରେ ଏହି ଦାୟିତ୍ୱ ଭାଜପାର ଭତୃହରି ମହତାବଙ୍କୁ ଦେବା ଭୁଲ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ୮ଥରର ଏମପି କେ.ସୁରେଶ କାହିଁକି ପ୍ରୋଟେମ ସ୍ପିକର ହୋଇପାରିବେ ନାହିଁ ଏବଂ ସାତଥର ଭାଜପା ଏମପି ଭତ୍ତୃହରି ଏହି ପଦ ପାଇଁ କିପରି ଯୋଗ୍ୟ ହେଲେ। ତେବେ ସରକାରଙ୍କ ଏହି ପଦକ୍ଷେପ ପଛର କାରଣ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି, ପ୍ରୋଟେମ ସ୍ପିକର ହେଉଛନ୍ତି ଗୃହର ଜଣେ ଅସ୍ଥାୟୀ ପ୍ରିଜାଇଡିଂ ଅଫିସର, ଯିଏକି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥା’ନ୍ତି। ତାଙ୍କର ଦାୟିତ୍ୱ ହେଉଛି ଲୋକ ସଭାର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରିବା ଏବଂ ଗୃହର ବାଚସ୍ପତି ନିର୍ବାଚନରେ ଅଧ୍ୟକ୍ଷତା କରିବା।

ଆମ ଦେଶରେ ପ୍ରୋଟେମ ସ୍ପିକର ନିଯୁକ୍ତି ପ୍ରକ୍ରିୟା ବ୍ରିଟିଶ ସଂସଦ ସହିତ ସମାନ । ଏହାକୁ ୱେଷ୍ଟମିନିଷ୍ଟର ସିଷ୍ଟମ କୁହାଯାଏ। ଯେଉଁଥିରେ ସଂସଦରେ ଲଗାତାର ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ସଦସ୍ୟଙ୍କୁ ପ୍ରୋ ଟେମ ସ୍ପିକର କରାଯାଏ। ଜଣେ ନୂଆ ସ୍ପିକର ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଏହି ସଦସ୍ୟ ଗୃହର ଅଧ୍ୟକ୍ଷତା କରିବେ। ତେବେ ପ୍ରୋଟେମ ସ୍ପିକର ପଦ ପାଇଁ କେ ସୁରେଶଙ୍କ ବଦଳରେ ଭତ୍ତୃହରିଙ୍କୁ ଏଥିପାଇଁ ମନୋନୀତ କରାଯାଇଛି କାରଣ ସୁରେଶ ଜଣେ ୮ଥରର ଏମପି ହୋଇଥିବାବେଳେ ମହତାବ ୭ଥର ଏମପି ହୋଇଛନ୍ତି। ଏହାକୁ ନେଇ କୁହାଯାଉଛି ଯେ, ଭତ୍ତୃହରି ଲୋକ ସଭା ଏମପି ଭାବରେ କ୍ରମାଗତ ୭ ଥର କାର୍ଯ୍ୟକାଳ କରିଥିବାବେଳେ ସୁରେଶ ୮ଥର ଏମପି ହୋଇଥିଲେ ମଧ୍ୟ ତାଙ୍କୁ ୧୯୯୮ ଓ ୨୦୦୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଏହାର ଅର୍ଥ ହେଉଛି ଲୋକ ସଭା ସଦସ୍ୟ ଭାବରେ ଏହା କ୍ରମାଗତ ଚତୁର୍ଥ ଥରର ତାଙ୍କ କାର୍ଯ୍ୟକାଳ। ତେଣୁ ସେ ପ୍ରୋଟେମ ସ୍ପିକର ପଦ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ ବୋଲି କୁହାଯାଉଛି। ଏହାପୂର୍ବରୁ, ୧୭ତମ ଲୋକ ସଭାରେ ବିରେନ୍ଦ୍ର କୁମାରଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରାଯାଇଥିଲା। ସେ ସେହି ସମୟରେ ଦୀର୍ଘତମ ଓ କ୍ରମାଗତ ଭାବରେ ନିର୍ବାଚିତ ସଦସ୍ୟ ଥିଲେ। ସେତେବେଳେ ମଧ୍ୟ ମନେକା ଗାନ୍ଧୀ ବରିଷ୍ଠ ଏମପି ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ନିରନ୍ତର ନ ଥିଲା ତେଣୁ ସେ ପ୍ରୋଟେମ ସ୍ପିକର ଭାବରେ ମନୋନୀତ ହୋଇ ନ ଥିଲେ।

Leave a Reply

Your email address will not be published. Required fields are marked *