October 18, 2024

ବିରୋଧୀ ଦଳ ନେତା ଭାବେ ବସିବେ ନବୀନ

1 min read

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ବିଜେପି ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ସମ୍ଭାଳିଛନ୍ତି। ନବୀନ ଲଗାତାର ୨୪ବର୍ଷ ଧରି ଏହି ପଦ ସମ୍ଭାଳିଥିଲେ। ନିଜର ୨୪ବର୍ଷର ରାଜନୈତିକ ଯାତ୍ରା ଶେଷ ପରେ ନବୀନ ବିରୋଧୀ ଦଳ ନେତା ଭାବେ ବସିବେ। ଯାହାପରେ ରାଜ୍ୟରେ ରାଜନୀତି-ସାମାଜିକ ଚାଲିଚଳଣି ପରିବର୍ତ୍ତନ ହୋଇଯିବ ବୋଲି ଆଲୋଚନା ହେଉଛି। ୨୦୨୪ରେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେପି କ୍ଷମତାକୁ ଫେରିଛି। ବିଜେଡିର ଏପରି ପରାଜୟ କେବଳ ବିଜେଡି ନେତା କିମ୍ବା କର୍ମୀଙ୍କୁ ନୁହେଁ ସାରା ରାଜ୍ୟକୁ ମଧ୍ୟ ସ୍ତବ୍ଧ କରିଛି। ତେବେ ବୁଧବାର ଠାରୁ ଓଡ଼ିଶାରେ ବିଜେପି ସରକାର ଆରମ୍ଭ ହୋଇଛି।

ଏହାରି ଭିତରେ ବିଜୁ ଜନତା ଦଳ ଓଡ଼ିଶାରେ ବିରୋଧୀ ଦଳ ଆସନର ବସିଛି । ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଆଗକୁ ମୌସୁମୀ ଅଧିବେଶନ ଥିବାବେଳେ ଚଳିତ ବିଧାନସଭା ଅଧିବେଶନ ରୋଚକ ହେବ ବୋଲି କୁହାଯାଉଛି। କାରଣ ଓଡ଼ିଶାରେ ବିଧାନସଭାରେ କ୍ଷମତାସୀନ ବିଜେପି ଦଳକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୧ କଂଗ୍ରେସକୁ ୧୪ଟି ସିଟ୍‌ ମିଳିଛି। ଆଉ ସ୍ବାଧୀନ ଆସନରେ ରାଜ୍ୟ ବିଧାନସଭା ୪ଟି ସିଟ୍‌ ପାଇଛି। ତେବେ ବିଜେପି ସଂଖ୍ୟା ଗରିଷ୍ଠତା ଛୁଇଁଥିଲେ ମଧ୍ୟ ବିଧାନସଭାରେ ବିରୋଧୀ ମଧ୍ୟ ଟାଣୁଆ ଭାବରେ ନଜର ଆସିବେ। ଏଥର ବିଧାନସଭାର ପ୍ରଶ୍ନକାଳ ଜମିବା ସହ ବିରୋଧୀ ମଧ୍ୟ ସଶକ୍ତ ନଜର ଆାସିବେ ବୋଲି ରାଜନୈତିକ ପାଣିପାଗ କହୁଛି। ତେବେ ମୋଟ ବିରୋଧୀ ଦଳଙ୍କୁ ପ୍ରତିନିଧିତ୍ୱ କିଏ କରିବ ସେନେଇ ସସପେନ୍ସ ଜାରି ରହିଛି।

ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି। ବିଜେଡିର ସବୁ ବିଧାୟକ ଓ ବରିଷ୍ଠ ନେତା ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ, ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ଏନେଇ ନିଷ୍ପତ୍ତି ନେବେ। ଏପରିକି ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରୁ କିଏ ଜଣେ ବିରୋଧୀ ଦଳ ନେତା ହେବା ନେଇ ନାଁ ସାମ୍ନାକୁ ଆସିଛି।

ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗତ ୫ ବର୍ଷ ଭିତରେ ଖୁବ୍‌ ସ୍ବଳ୍ପ ସମୟ ଦେଖିବାକୁ ମିଳିଛି। ଏପରିକି ଗୃହ ଚାଲିଥିବା ସମୟରେ ସେ ବିରୋଧୀ ଦଳର ପ୍ରଶ୍ନକୁ ମଧ୍ୟ ଶୁଣି ତାକୁ ଉତ୍ତର ଦେଉ ନ ଥିବାରୁ ଅନେକ ସମୟରେ ଅଭିଯୋଗ ହୋଇଛି। ବହୁବାର ଗୃହରେ ମୁଖ୍ୟମନ୍ତ୍ରୀ ରହୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏବେ ପ୍ରଶ୍ନ ହେଉଛି କେମିତି ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନବୀନ?

ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ବିରୋଧୀ ଦଳ ନେତା ଭାବେ ଅନ୍ୟ ନେତାଙ୍କୁ ବାଛି ପାରନ୍ତି। ନିଜ ଛଡା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି।
ଏସବୁ ନେତାଙ୍କର ବହୁବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ବିରୋଧୀ ଦଳ ନେତା ବିଧି ଅନୁସାରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହୋଇଥିବା ଦରକାର।

ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ବାଭାବିକ। କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ଭର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି।

Leave a Reply

Your email address will not be published. Required fields are marked *