October 18, 2024

ଆତଙ୍କ ସୃଷ୍ଟି କଲେଣି ସାଇବର ଠକ

1 min read

ଭୁବନେଶ୍ବର: ରାଜଧାନୀର ଜଣେ ଅବସରପ୍ରାପ୍ତ ବୃଦ୍ଧଙ୍କ ଠାରୁ ୬୩ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଜଣେ ସାଇବର ଠକ ବ୍ୟାଙ୍କ ଅଧିକାରୀର ପରିଚୟରେ କଲ୍‌ କରିଥିଲା। ସେ ତାଙ୍କୁ ଟଙ୍କା ବିନିଯୋଗକଲେ ଅତ୍ୟଧିକ ଲାଭ ହେବାର ଏକ ସ୍କିମ୍‌ ବିଷୟରେ କହିଥିଲା। ତା’କଥାରେ ବିଶ୍ବାସ କରି ବୃଦ୍ଧ ନିଜର ସଞ୍ଚିତ ଟଙ୍କା ବିନିଯୋଗ କରିଥିଲେ। ହେଲେ ତାଙ୍କର ସେ କଷ୍ଟୋପାର୍ଜିତ ଟଙ୍କାକୁ ସାଇବର ଠକମାନେ ଉଡ଼ାଇ ନେଇଛନ୍ତି ବୋଲି ବୃଦ୍ଧ ଜଣକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ, ପ୍ରଥମେ ସାଇବର ଠକ ତାଙ୍କୁ ମୋବାଇଲ ଜରିଆରେ କଲ୍‌କରି ନିଜକୁ ଏକ ଘରୋଇ ବ୍ୟାଙ୍କର ପ୍ରତିନିଧି ବୋଲି ପରିଚୟ ଦେଇଥିଲା। କଥାବାର୍ତ୍ତାରେ ବୃଦ୍ଧଙ୍କୁ ଫସାଇ ଠକ ଏକ ଲିଙ୍କ୍‌ ପଠାଇ ତାହାକୁ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। ତା’ କଥାରେ ପଡ଼ି ବୃଦ୍ଧ ଉକ୍ତ ଲିଙ୍କ୍‌କୁ ଡାଉନ୍‌ଲୋଡ୍‌ କରିଥିଲେ। ବୃଦ୍ଧ ଲିଙ୍କ୍‌ରେ ସାମିଲ ହେବାପରେ ଠକ ତାଙ୍କୁ ଅର୍ଥ ବିନିଯୋଗକରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲା। ଘରୋଇ ବ୍ୟାଙ୍କର ହେଲପ୍‌ ଡେସ୍କ କହି ଏକ ନିର୍ଦ୍ଦିଷ୍ଟ ଚାଟ୍‌ଗ୍ରୁପ୍‌ରେ ବୃଦ୍ଧଙ୍କୁ ସାମିଲ କରିଥିଲା ସାଇବର ଠକ। ପୁଣି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ସାଇବର ଠକ ବୃଦ୍ଧଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଥିଲା। ଉକ୍ତ ଗ୍ରୁପ୍‌ର ୩ରୁ ଅଧିକ ବ୍ୟକ୍ତି ନିଜକୁ ଘରୋଇ ବ୍ୟାଙ୍କର ସ୍ବୀକୃତିପ୍ରାପ୍ତ ଅଧିକାରୀ ବୋଲି ପରିଚୟ ଦେଇଥିଲେ।। ସେମାନେ ସମସ୍ତେ ମିଶି ବୃଦ୍ଧଙ୍କୁ ଅତ୍ୟଧିକ ଲାଭର ସୁନେଲୀ ସ୍ବପ୍ନ ଦେଖାଇଥିଲେ। ଟଙ୍କା ବିନିଯୋଗ କରି କେମିତି ଅନେକ ଲୋକ ଲାଭ ପାଇଛନ୍ତି, ତାହାର ମିଛ ଉଦାହରଣ ମଧ୍ୟ ଦେଇଥିଲେ। ବୃଦ୍ଧ ଲୋଭରେ ଟଙ୍କା ବିନିଯୋଗ କରିଥିଲେ।
ଏହି ଅର୍ଥକୁ ବିଭିନ୍ନ ଆପିଓରେ ବନିଯୋଗ କରାଯାଉଥିବା ସାଇବର ଠକମାନେ ତାଙ୍କୁ କହୁଥିଲେ। ଜାଲରେ ଫସାଇ ସେମାନେ ଗତ ଏପ୍ରିଲରୁ ଚାଲିଥିବା ମେ’ ମାସ ଭିତରେ ବୃଦ୍ଧଙ୍କଠାରୁ ୧୧ଟି ଟ୍ରାଞ୍ଜାକ୍ସନରେ ୬୩ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିଲେ। ବୃଦ୍ଧ ବାରମ୍ବାର ଅଧିକରୁ ଅଧିକ ଟଙ୍କା ବିନିଯୋଗ କରିବାର କାରଣ ଥିଲା ଠକମାନେ ପ୍ରଥମେ କିଛି ଲାଂଭାଶ ତାଙ୍କୁ ପ୍ରଦାନ କରିଥିଲେ। ତେଣୁ ତାଙ୍କ ମନରେ ବିଶ୍ବାସ ସୃଷ୍ଟି ହୋଇଥିଲା ଓ ସେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରି ଚାଲିଥିଲେ। କେବଳ ସେତିକି ନୁହେଁ, ତାଙ୍କ ଆକାଉଣ୍ଟରେ ବଢ଼ି ଚାଲିଥିବା ଲାଭାଂଶକୁ ଉଠାଇବାଲାଗି ଆହୁରି ଟଙ୍କା ଦାଖଲ କରିବାଲାଗି ସାଇବର ଠକମାନେ କହିବାପରେ ସେ କଥା ମଧ୍ୟ ବୃଦ୍ଧ ମାନିଥିଲେ ଓ ଟଙ୍କା ପାଇବାକୁ ଆହୁରି ଟଙ୍କା ଦେଇଥିଲେ। ଏମିତି ବିଭିନ୍ନ ବାହାନାରେ ଠକମାନେ ବୃଦ୍ଧଙ୍କଠାରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ କିନ୍ତୁ ଟଙ୍କା ଫେରାଇବାର ନାଁ ଧରି ନଥିଲେ। ସେମାନେ ଆହୁରି ବିଭିନ୍ନ କାରଣ ଦେଖାଇ ଆହୁରି ଅଧିକ ଟଙ୍କା ମାଗିବାରୁ ତା’ପରେ ଯାଇ ବୃଦ୍ଧଙ୍କର ବୁଦ୍ଧି ପଶିଥିଲା ଓ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ସାଇବର ଥାନାର ସୂଚନା ଅନୁସାରେ, ଭୁବନେଶ୍ବରରେ ଚଳିତ ବର୍ଷ ଏପର୍ଯନ୍ତ ପ୍ରାୟ ୧୦୦ଟି ମାମଲାରେ ୧୭କୋଟିରୁ ଅଧିକ ସାଇବର ଠକେଇ ହୋଇଛି। ସାଇବର ବିଶେଷଜ୍ଞଙ୍କ କହିବାକଥା, ବର୍ତ୍ତମାନ ବିଭିନ୍ନ ଉପାୟରେ ସାଇବର ଠକେଇ ହେଉଛି। କିନ୍ତୁ ତା’ଭିତରୁ ୬୦ ପ୍ରତିଶତ ଠକେଇ ପୁଞ୍ଜି ବିନିଯୋଗ ବାହାନାରେ ହିଁ ହୋଇଛି।

Leave a Reply

Your email address will not be published. Required fields are marked *