December 4, 2024

ତାଳଚେର ପୁଲିସ ଦ୍ଵାରା ୭ ଡକାୟତ ଗିରଫ

1 min read

ତାଳଚେର : ରାସ୍ତା କଡ଼ରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୭ ଜଣ ଡକାୟତଙ୍କୁ ଆଜି ମଧ୍ୟ ରାତ୍ରରେ କଣ୍ଡାଳ ଠାରେ ତାଳଚେର ପୁଲିସ ଗିରଫ କରିଛି। ଏ ସମସ୍ତ ତାଳଚେର ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏମାନଙ୍କ ନାମରେ ତାଳଚେର ଥାନାରେ ଏକ ମାମଲା ନଂ ୧୦୪୬, ତା ୧/୧୨/୨୦୨୪, ଦଫା ୩୧୦(୪)/୩୧୦(୫)ବିଏନଏସ ଆର/ଡ ସେକ୍ସନ ୨୫/୨୭ ଆର୍ମ ଆକ୍ଟ ରେ ମାମଲା ରୁଜ୍ଜୁ ହୋଇଛି ବୋଲି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପୂର୍ବାହ୍ନରେ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି। ଗତ ରାତିରେ ତାଳଚେର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ କଣ୍ଡାଳ ଠାରେ ୭ ଜଣ ଡକାୟତ ରାହାଜାନୀ ଓ ଡକାୟତି ପାଇଁ ପ୍ରସ୍ତୁତ ହେଉଛନ୍ତି ଫଳରେ ଖବର ପାଇ ତାଳଚେର ଏସଡିପିଓ ଓ ତାଳଚେର ଥାନା ଅଧିକାରୀ ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୁଲିସ ଏଯାଏ ସେମାନଙ୍କ ଠାରୁ ୧୨୦ ରୁ ଉର୍ଦ୍ଧ୍ବ ମୋବାଇଲ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜୈନ କହିଥିଲେ। ଏହାସହ ଏକ ହୁଣ୍ଡାଇ ଔରା କାର, ଏକ ଦେଶୀ ପିସ୍ତଲ, ଦୁଇଟି ଛୁରୀ, ଦୁଇଟି ଆଇରନ ରୋଡ, ଗୋଟିଏ ଟାଙ୍ଗିଆ, ବହୁଳ ବ୍ଲେଡ, ସ୍କ୍ରିଉ ଡ଼୍ରାଇଭର,ଟେଷ୍ଟର, ୨ ଟି ଟର୍ଚ୍ଚ , ଲାଇଟର ଓ ଲଙ୍କା ଗୁଣ୍ଡ ପ୍ୟାକେଟ ଆଦି ଜବତ କରାଯାଇଛି। ତଦନ୍ତରୁ ଜଣାପଡିଛି ଏ ସମସ୍ତ ଡକାୟତ ମାନେ ପେଶାଦାର ଡକାୟତ ହୋଇଥିବାବେଳେ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଜୈନ କହିଛନ୍ତି। ଏମାନେ ମଧ୍ୟ ବିଭିନ୍ନ ଟ୍ରକ୍ ଓ ଅନ୍ୟାନ୍ୟ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଛିନତାଇ କରି ନିଅନ୍ତି।ତେଣୁ ଏ ଦିଗରେ ତଦନ୍ତ ଜାରି ରହିବା ସହ ଆହୁରି ଚୋରୀ ଜିନିଷ ଓ ମୋବାଇଲ ଫୋନ ଡକାୟତ ମାନଙ୍କ ଠାରୁ ଜବତ କରାଯିବ ବୋଲି ସେ କହିଛନ୍ତି। ଏହାସହ ଜୈନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନସାଧାରଣ ମାନଙ୍କୁ ଅନୁରୋଧ କରିଥିଲେ ଯାହାର ବି ମୋବାଇଲ ହଜି ଯାଇଛି କିମ୍ବା ଚୋରୀ ହୋଇଯାଇଛି ସେମାନେ ତୁରନ୍ତ ଥାନାରେ ଆସି ଅଭିଯୋଗ କରନ୍ତୁ। ପୁଲିସ ସେ ଉପରେ ଉଚିତ୍ ପଦକ୍ଷେପ ନେବା ସହ ମୋବାଇଲ୍ ଫୋନ୍ ଫେରାଇବା ବ୍ୟବସ୍ଥା କରିବ। ଏହାସହ ଏହି ଡକାୟତ ମାନଙ୍କ ଠାରୁ ଜବତ ହୋଇଥିବା ଫୋନ ଯଦି କାହାର ଥାଏ ତେବେ ସେ ସଠିକ୍ କାଗଜ ପତ୍ର ଦେଖାଇ ଥାନାରୁ ତାହା ନେଇପାରିବେ ବୋଲି ଜୈନ କହିଥିଲେ। ଏହି ଅବସରରେ ତାଳଚେରରେ ବୃଦ୍ଧି ପାଉଥିବା ଧଳା ଜହର ବେପାର ରୋକିବା ପାଇଁ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ ବୋଲି ସେ କହୁଥିଲ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ଓ କୋଲିୟାରୀ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ।