ସୁନ୍ଦରଗଡ଼ରେ ୪.୩୭ ଲକ୍ଷ ରାସନକାର୍ଡଧାରୀଙ୍କୁ ମିଳିବ ଆୟୁଷ୍ମାନ୍ କାର୍ଡ
1 min readରାଉରକେଲା: ଗତ ୪୦ ମାସ ତଳେ ଅର୍ଥାତ୍ ୨୦୨୧ ସେପ୍ଟେମ୍ବରରେ ସୁନ୍ଦରଗଡ଼ରେ ଆରମ୍ଭ ହୋଇଥିଲା ବିଏସ୍ୱାଇକେ ସ୍ମାର୍ଟ କାର୍ଡ। ସରକାର ବଦଳିବା ପରେ ବନ୍ଦ ହେବାକୁ ଯାଉଛି ବିଏସ୍ୱାଇକେ। ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’। ଯେଉଁମାନେ ବିଏସ୍ୱାଇକେ କାର୍ଡ ପାଇଥିଲେ। ସେମାନେ ଏବେ ଆୟୁଷ୍ମାନ୍ କାର୍ଡ ପାଇବେ। ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆରୋପପ୍ରତ୍ୟାରୋପ ଜାରି ରହିଛି। ବିଏସ୍ୱାଇକେ କାର୍ଡରେ ଯେତିକି ଚିକିତ୍ସା ସୁବିଧା ମିଳୁଥିଲା ଆୟୁଷ୍ମାନରେ ମିଳିବ ନାହିଁ ବୋଲି ବିଜେଡି ଦାବି କରୁଛି। ବିଏସ୍ୱାଇକେ କାର୍ଡରୁ ଯାହା ଚିକିତ୍ସା ସୁବିଧା ମିଳୁଥିଲା, ତା’ଠୁ ଢେର ଅଧିକ ସୁବିଧା ଆୟୁଷ୍ମାନ୍ କାର୍ଡରେ ମିଳିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେବେ ଆୟୁଷ୍ମାନ୍ କାର୍ଡ ଲାଗୁ ହେବାପରେ କେଉଁ କାର୍ଡ ଭଲ ତାହା ଜଣାପଡ଼ିବ। ରୋଗୀମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାର ଘରୋଇ ହସ୍ପିଟାଲରେ କେମିତି ଚିକିତ୍ସା ସୁବିଧା ମିଳୁଛି, ସବୁକିଛି ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ଆଇଜିଏଚ୍ ସୁପର ସ୍ପେସିଆଲିଟି ହସ୍ପିଟାଲ (ଆପୋଲ ହସ୍ପିଟାଲ) ସମ୍ମିଳନୀ କକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୨୧ ସେପ୍ଟେମ୍ବର ୧୩ରେ ବିଏସ୍ୱାଇକେ କାର୍ଡର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ରୁ ଅଧିକ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯାଇଥିଲା। ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଏମାନଙ୍କ ମଧ୍ୟରେ ରାଉରକେଲାରେ ଅଛନ୍ତି ପ୍ରାୟ ୬୮ ହଜାର୫୭୫ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଧାରୀ। ଉପକୃତ ହେଉଛନ୍ତି ୨ ଲକ୍ଷ ୨୩ ହଜାର ୪୧୮ ଜଣ। ସୁନ୍ଦରଗଡ ପୌରପାଳିକାରେ ୫, ୪୦୭, ରାଜଗାଙ୍ଗପୁର ପୌରପାଳିକାରେ୮,୭୯୧, ବୀରମିତ୍ରପୁର ପୌରପାଳିକାରେ ୬, ୫୧୪ରୁ ଅଧିକ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇଛନ୍ତି।
ବାଲିଶଙ୍କରା ବ୍ଲକରେ ୨୩, ୧୪୯, ବଡଗାଁରେ ୧୮,୨୪୦, ବିଶ୍ରାରେ ୧୬,୭୦୫, ବଣାଇରେ ୧୫,୯୮୯, ଗୁରୁଣ୍ଡିଆରେ ୧୭,୩୬, ହେମଗିରିରେ ୨୧,୫୯୮, କୋଇଡାରେ ୧୮,୭୯୦, କୁଆରମୁଣ୍ଡାରେ ୨୪,୬୫୮, କୁତ୍ରାରେ ୧୯,୫୭୬ରୁ ଅଧିକ କାର୍ଡଧାରୀଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିଛି। ଲହୁଣୀପଡା ବ୍ଲକରେ ପ୍ରାୟ ୨୩,୪୭୩, ଲାଠିକଟାରେ୨୬,୩୩୭୮, ଲେଫ୍ରିପଡାରେ ୨୦,୪୬୪, ନୂଆଗାଁରେ୨୬,୩୩୭, ରାଜଗାଙ୍ଗପୁରରେ ୨୪,୭୦, ସବଡେଗାରେ ୧୬,୪୮୫, ସୁନ୍ଦରଗଡ ସଦର ବ୍ଲକରେ୧୭,୭୫୦, ଟାଙ୍ଗରପାଲି ବ୍ଲକରେ୧୭,୩୮୯ ରାସନ କାର୍ଡଧାରୀଙ୍କୁ ଏହି ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ସୁନ୍ଦରଗଡରେ ସ୍ବାସ୍ଥ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ। ସେମିତି ଜିଲ୍ଲାର ୧୭ ବ୍ଲକରେ ଜଣେ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ।